ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ (Trimetro Garments India Pvt Ltd) ଏବଂ ପରବର୍ତ୍ତୀ ସମୟରେ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ (Anadrone Systems) ପରିସର ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ଟିମ୍ ଓ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ Trimetro Garments କାରଖାନାର କର୍ମଚାରୀମାନଙ୍କ ସହ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ କର୍ମଚାରୀମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଶିଳ୍ପାନୁକୂଳ ଓ ନିଯୁକ୍ତିଭିତ୍ତିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆଉ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ପଡୁନାହିଁ। ନିଜ ମାଟିରେ ରହି ସ୍ୱାବଲମ୍ବୀ ହେବାରେ ସେମାନେ ଗର୍ବ ଓ ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି। ଏଭଳି ବସ୍ତ୍ର ଶିଳ୍ପଗୁଡ଼ିକ ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀ ମାନେ କହିଛନ୍ତି । କର୍ମଚାରୀ ମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀ ମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗର ବିକାଶ ଉପରେ ସବିଶେଷ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ ।