ନୂଆଦିଲ୍ଲୀ,୨୯/୦୭/୨୬: କୌଣସି ଡିଲର୍ ଚିନି ମଗାଇବା ପରେ ତାହାକୁ ୩୦ ଦିନରୁ ଅଧିକ ସମୟ ନିଜ ପାଖରେ ରଖିପାରିବେ ନାହିଁ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ନଭେମ୍ବର ୩୦ ପର୍ୟ୍ୟନ୍ତ ଷ୍ଟକ୍ ସୀମା ଧାର୍ୟ୍ୟ କରାଯାଇଛି। ଯେକୌଣସି ସମୟରେ ତାଙ୍କ ପାଖରେ ୪୦୦୦ କ୍ବିଣ୍ଟାଲ୍ରୁ ଅଧିକ ଚିନି ରହିପାରିବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ନିୟମ ୧୯୫୫ ଓ ଚିନି (ନିୟନ୍ତ୍ରଣ) ଆଦେଶ, ୨୦୨୫ ଅନୁସାରେ ଏହି କଟକଣା ଲଗାଯାଇଛି। କିଛି ଟ୍ରେଡର୍ ଚିନିକୁ ବେଆଇନ ଭାବେ ମହଜୁଦ ରଖିବା ସହ କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢ଼ାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିବା ପରେ ସରକାର ଷ୍ଟକ୍ ସୀମା ନିର୍ଦ୍ଧାରଣ କରିଛନ୍ତି। ଚିନ କାରବାର ସହ ଜଡ଼ିତ ପ୍ରତ୍ୟେକ ଅଂଶୀଦାରଙ୍କୁ ନିଜ ପାଖରେ ମହଜୁଦ ଥିବା ଚିନି ସମ୍ପର୍କରେ ପ୍ରତି ସପ୍ତାହରେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚଳିତ ମାସ ୧୭ ତାରିଖରେ ଶିଳ୍ପର ଦୁଇଟି ସଂଘ ଆଇଏସ୍ଏମ୍ଏ ଓ ଏନ୍ଏଫ୍ସିଏସ୍ଏଫ୍ ତରଫରୁ ଅଧିକ ଦରରେ ଚିନି ନ କିଣିବାକୁ ସଂସ୍ଥାଗତ କ୍ରେତା, ପାଇକାରୀ ଓ ଖୁଚୁରା ବିକ୍ରେତାମାନଙ୍କୁ ଆହ୍ବାନ ଦିଆଯାଇଥିଲା। ସେମାନେ କହିଥିଲେ ଯେ ବର୍ତ୍ତମାନ ସମୟରେ ଚିନି ଦରରେ ହୋଇଥିବା ବୃଦ୍ଧିର ବଡ଼ କାରଣ ହେଉଛି ଟ୍ରେଡରମାନେ ତାହାକୁ ମହଜୁଦ ରଖି ଜାଣିଶୁଣି ଦର ବଢ଼ାଉଛନ୍ତି।