ଆସନ୍ତା ସୋମବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ବର,୨୩।୦୪।୨୦୨୬: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (Free Trade Agreement – FTA) ଦୀର୍ଘ ଦିନ ଧରି ଅଟକି ରହିଥିଲା। ଆସନ୍ତା ସୋମବାର ଏହି ଚୁକ୍ତି ସମ୍ପନ୍ନ ହେବ। ଏହାଦ୍ୱାରା ଭାରତୀୟ ବାଣିଜ୍ୟ ସହ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ନୂଆ ଦ୍ୱାର ଖୋଲିବ। ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସାରା ବିଶ୍ୱ ଚିନ୍ତିତ। ତେଲ ଓ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ମୁଦ୍ରାସ୍ଫୀତି ବଢ଼ୁଛି। ଅନ୍ୟପଟେ ଭାରତ ଏହି ସମସ୍ତ ଘଟଣାକ୍ରମ ଭିତରେ ନିଜ ବ୍ୟବସାୟକୁ ବଢ଼ାଇବାରେ ଲାଗିଛି। ନିକଟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଜର୍ମାନୀ ଗସ୍ତରେ ହୋଇଥିବା ଚୁକ୍ତି ଏହାର ପ୍ରମାଣ। ୟୁରୋପୀୟ ୟୁନିଅନ୍ ଏବଂ ଆମେରିକା ସହ ବାଣିଜ୍ୟ ଚର୍ଚ୍ଚା ଚରମ ପର୍ଯ୍ୟାୟରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ସହ ଚୁକ୍ତି ଅପେକ୍ଷାର ଅନ୍ତ ଘଟିଛି। ଆସନ୍ତା ସୋମବାର (୨୭ ଏପ୍ରିଲ) ଉଭୟ ଦେଶ ଏହି ଚୁକ୍ତିରେ ସ୍ୱାକ୍ଷର କରିବେ।

ମାର୍ଚ୍ଚ ୨୦୨୫ରେ, ଉଭୟ ଦେଶ ଏହି ଚୁକ୍ତି ଦିଗରେ ଆଲୋଚନା ଆରମ୍ଭ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ ଏହାକୁ ଏକ ବଡ଼ ଅର୍ଥନୈତିକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଏହା ନ୍ୟୁଜିଲ୍ୟାଣ୍ଡ ରପ୍ତାନିକାରୀଙ୍କୁ ଭାରତର ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ବିଶାଳ ବଜାରରେ ପ୍ରବେଶ କରାଇବ। ଏହି ଚୁକ୍ତିକୁ ଅର୍ଥନୈତିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି। ନ୍ୟୁଜିଲ୍ୟାଣ୍ଡ ଭାରତକୁ ଉଲ୍, ଲୁହା, ଇସ୍ପାତ, ଆଲୁମିନିୟମ୍, ଫଳ ଏବଂ କାଠ ସାମଗ୍ରୀ ରପ୍ତାନି କରେ। ସେହିପରି ଭାରତ ନ୍ୟୁଜିଲ୍ୟାଣ୍ଡକୁ ଔଷଧ, ମେସିନାରୀ ଏବଂ ବସ୍ତ୍ର ଆଦି ରପ୍ତାନି କରେ। ନ୍ୟୁଜିଲ୍ୟାଣ୍ଡରେ ମହିନ୍ଦ୍ରା, ଟିସିଏସ୍, ଇନଫୋସିସ୍ ଭଳି ଭାରତୀୟ କମ୍ପାନୀ ସକ୍ରିୟ ଥିବା ବେଳେ ଭାରତରେ ମଧ୍ୟ ଅନେକ ନ୍ୟୁଜିଲ୍ୟାଣ୍ଡ କମ୍ପାନୀ ଅଛନ୍ତି।

ଭାରତ ପାଇଁ ଆଇଟି ଏବଂ ସେବା କ୍ଷେତ୍ରରେ ସୁଯୋଗ, ଔଷଧ ଏବଂ ବସ୍ତ୍ର ଶିଳ୍ପରେ ଉନ୍ନତି, ଭାରତୀୟ ଯୁବକଙ୍କ ପାଇଁ ନ୍ୟୁଜିଲ୍ୟାଣ୍ଡରେ ପଢ଼ା ଏବଂ ଚାକିରିର ସୁଯୋଗ ବୃଦ୍ଧି, କୃଷି ପ୍ରକ୍ରିୟାକରଣରେ ବୃଦ୍ଧି। ନ୍ୟୁଜିଲ୍ୟାଣ୍ଡ ପାଇଁ ଭାରତୀୟ ବଜାରରେ ଡାଏରୀ, କିୱି ଫଳ, ମାଂସ ଏବଂ ୱାଇନ୍‌ର ଚାହିଦା ବୃଦ୍ଧି। ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଓ ଅଭିବୃଦ୍ଧି। ଉଭୟ ଦେଶର ଐତିହାସିକ ପ୍ରତିରକ୍ଷା ସମ୍ପର୍କ ରହିଛି। ପ୍ରାୟ ୩ ଲକ୍ଷ ଭାରତୀୟ ନ୍ୟୁଜିଲ୍ୟାଣ୍ଡରେ ବସବାସ କରନ୍ତି, ଯେଉଁମାନେ ଡାକ୍ତର, ଇଞ୍ଜିନିୟର ଏବଂ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ଦୀପାବଳି ଓ ହୋଲି ମଧ୍ୟ ପାଳନ କରାଯାଏ ଏବଂ ହିନ୍ଦୀ ସେଠାରେ ପଞ୍ଚମ ସର୍ବାଧିକ ବ୍ୟବହୃତ ଭାଷା।

Leave a Reply

Your email address will not be published. Required fields are marked *