ଅଶୋକ ଲାହିରି ନିତି ଆୟୋଗର ନୂଆ ଉପାଧ୍ୟକ୍ଷ

ଭୁବନେଶ୍ବର,୨୫/୦୪/୨୦୨୬: ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ତଥା ବର୍ତ୍ତମାନର ବିଜେପି ବିଧାୟକ ଅଶୋକ ଲାହିରିଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୁମନ ବେରିଙ୍କ ସ୍ଥାନରେ ଶ୍ରୀ ଲାହିରି କାର୍ଯ୍ୟ କରିବେ। ଶୁକ୍ରବାର କ୍ୟାବିନେଟ୍‌ ସଚିବାଳୟ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ କେବଳ ଜଣେ ପୂର୍ଣ୍ଣକାଳୀନ ସଦସ୍ୟ ରାଜୀବ ଗୌବାଙ୍କୁ ଛାଡ଼ି ଅନ୍ୟମାନଙ୍କୁ ବଦଳାଇ ଦିଆଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଅଭୟ କରାଣ୍ଡିକର, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ପାର୍ଟଟାଇମ ମେମ୍ବର କେଭି ରାଜୁ, ଖ୍ୟାତନାମା ମଲିକ୍ୟୁଲାର ସାଇଣ୍ଟିଷ୍ଟ୍‌ ତଥା ଆଇଜର ଭୋପାଳର ନିର୍ଦ୍ଦେଶକ ଡ. ଗୋବର୍ଦ୍ଧନ ଦାସ, ଏମ୍‌ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ଡା. ଏମ୍‌ ଶ୍ରୀନିବାସଙ୍କୁ ନିତି ଆୟୋଗର ନୂଆ ପୂର୍ଣ୍ଣକାଳୀନ ସଦସ୍ୟଭାବେ ନିଯୁକ୍ତ କରାଯାଇଛି।

ନୂଆ ସଦସ୍ୟମାନେ ଅର୍ଥନୀତିଜ୍ଞ ରମେଶ ଚାନ୍ଦ, ଅର୍ଥନୀତିଜ୍ଞ ଅରବିନ୍ଦ ଭିରମାନି, ଭି‌ କେ ସାରସ୍ବତ ଏବଂ ଡା, ଭି‌ କେ ପଲଙ୍କ ସ୍ଥାନ ନେବେ। ନିତି ଆୟୋଗର ନବନିଯୁକ୍ତ ଉପାଧ୍ୟକ୍ଷ ଅଶୋକ ଲାହିରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଲାହିରି ସଂପ୍ରତି ପଶ୍ଚିମବଙ୍ଗର ବାଲୁରଘାଟରୁ ବିଜେପି ବିଧାୟକ ଅଛନ୍ତି। ତେବେ ୨୦୨୬ ବିଧାନସଭା ନିର୍ବାଚନ ସେ ଲଢ଼ୁନାହାନ୍ତି। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିଲେ। ଉଭୟ ଅଟଳ ବିହାରୀ ବାଜପେୟୀ ଓ ଡ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ ଅମଳରେ ସେ ଏହି ଦାୟିତ୍ବ ତୁଲାଇଥିଲେ। ଏଥିସହିତ ସେ ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟ ମଧ୍ୟ ଥିଲେ। ସେହିଭଳି ଡ. ଗୋବର୍ଦ୍ଧନ ଦାସ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପାର୍ଥୀଭାବେ ପୂର୍ବସ୍ଥଳୀ ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ଲଢ଼ିଥିଲେ।

Leave a Reply

Your email address will not be published. Required fields are marked *