• ୧୩୦.୭୯ କୋଟି ଟଙ୍କା ମୂଲ୍ୟର ୬୩ଟି ପ୍ରକଳ୍ପ ଲୋକାର୍ପଣ ହୋଇଥିବା ବେଳେ ୧୪୭.୭୦ କୋଟି ଟଙ୍କା ମୂଲ୍ୟର ୬୧ଟି ପ୍ରକଳ୍ପର ଶିଳାନ୍ୟାସ
• ଏହି ପ୍ରକଳ୍ପ ଗୁଡ଼ିକ ଦେବଗଡ଼ର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବ
• ପ୍ରାୟ ୩୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ନୂତନ ଭବନ ଲୋକାର୍ପିତ
ଦେବଗଡ଼, ୨୫ ଏପ୍ରିଲ ୨୦୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ଜିଲ୍ଲା ଗସ୍ତ କରି ପ୍ରାୟ ୨୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୨୪ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହା ସହିତ ସେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ହସ୍ତାନ୍ତରଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାଦ୍ୱାରା ଲୋକସଭା ଓ ବିଧାନସଭାରେ ମାଆମାନଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ପାଇବ, ଯାହା ଓଡ଼ିଶାରେ ଅଧିକରୁ ଅଧିକ ମହିଳା ଜନପ୍ରତିନିଧି ସୃଷ୍ଟି କରିବା ସହ ସେମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସଶକ୍ତ କରିବ । ଏହି ଯୋଜନାକୁ ଲାଗୁ କରିବା ପାଇଁ ମା’ ଓ ଭଉଣୀମାନଙ୍କ ମଧ୍ୟରେ ଥିବା ଉତ୍ସାହ ପ୍ରଶଂସନୀୟ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଅନେକ ବିରୋଧୀ ଓ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ବାବୁ ମହିଳାମାନଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ହେଉ ବୋଲି ଚାହୁଁନାହାନ୍ତି। ମୋଦୀ ଜୀ ମହିଳାଙ୍କ ସିଟ୍ ବଢ଼ାଇବାକୁ ପଣ କରିଥିବା ବେଳେ ଏଥିରେ ଦେବଗଡ଼ବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି। ଆଜି ଦେବଗଡ଼ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ସମଗ୍ର ଭାରତବର୍ଷର ମାତୃଶକ୍ତିମାନେ ସମର୍ଥନ ଦେଉଥିବା ବେଳେ ବିରୋଧୀମାନେ ମହିଳାମାନଙ୍କ ପାଇଁ ଆସନ ବୃଦ୍ଧି ହେଉ ବୋଲି ଚାହୁଁନାହାନ୍ତି। ବିରୋଧୀମାନଙ୍କର ଏଭଳି ମନୋଭାବ ନାରୀ ଶକ୍ତିର ବିକାଶ ପଥରେ ବାଧା ସୃଷ୍ଟି କରୁଛି ।