ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍ ର ୨୦ ହଜାର କୋଟି ଟଙ୍କା ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲ ଅନ୍ତର୍ଗତ କଂସାରିଗୁଡ଼ାରେ ଗ୍ରୀନଫିଲ୍ଡ ଆଲୁମିନା ରିଫାଇନେରୀର ସମ୍ପ୍ରସାରଣ ପାଇଁ କମ୍ପାନୀ ଅତିରିକ୍ତ ୧୨ ହଜାର କୋଟି ଟଙ୍କା ନିବେଶ ପ୍ରସ୍ତାବ ଦେଇଛି। ଏହି ନିବେଶ ସହିତ ପ୍ରକଳ୍ପର ମୋଟ ବିନିଯୋଗ ପ୍ରାୟ ୨୦ ହଜାର କୋଟି ଟଙ୍କାରେ ପହଞ୍ଚିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲାଙ୍କ ସହ ଭେଟି କମ୍ପାନୀର ବର୍ତ୍ତମାନ ଓ ପ୍ରସ୍ତାବିତ ନିବେଶ ନେଇ ବିସ୍ତୃତ ଆଲୋଚନା କରିଥିଲେ।

ପୂର୍ବରୁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କଂସାରିଗୁଡ଼ାରେ ପ୍ରତିବର୍ଷ ୧ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନେରୀ ସ୍ଥାପନ ପାଇଁ ୮ ହଜାର କୋଟି ଟଙ୍କା ନିବେଶ ଘୋଷଣା କରିଥିଲା। ବର୍ତ୍ତମାନ ଅତିରିକ୍ତ ୧୨ ହଜାର କୋଟି ଟଙ୍କା ନିବେଶ ମାଧ୍ୟମରେ ଆଉ ୨ ଗଞଚଇ କ୍ଷମତା ବୃଦ୍ଧି କରାଯିବ। ଏହାଫଳରେ ରିଫାଇନେରୀର ମୋଟ କ୍ଷମତା ୩ ଗଞଚଇକୁ ବୃଦ୍ଧି ପାଇବ। ଏହି ମେଗା ପ୍ରକଳ୍ପ ଦ୍ୱାରା ସିଧାସଳଖ ଓ ପରୋକ୍ଷ ଭାବେ ବହୁ ସଂଖ୍ୟକ ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଉଦ୍ୟୋଗ, ସେବା ପ୍ରଦାନକାରୀ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ପ୍ରସ୍ତାବକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ କେବଳ ଉତ୍ତୋଳନରେ ସୀମିତ ନ ରହି ମୂଲ୍ୟଯୁକ୍ତ ଉତ୍ପାଦନ, ଆଧୁନିକ ଶିଳ୍ପ ଓ ଗୁଣାତ୍ମକ ରୋଜଗାରରେ ପରିଣତ ହେବା ଆବଶ୍ୟକ। ଆଲୁମିନିୟମ୍ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟ ସହ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ବୈଠକରେ ତମ୍ବା ରିଫାଇନିଂ, ଟେକ୍ନିକାଲ୍ ଟେକ୍ସଟାଇଲ୍, ଅଳଙ୍କାର ଉତ୍ପାଦନ, ନବୀକରଣଯୋଗ୍ୟ ଶକ୍ତି ଏବଂ ଉନ୍ନତ ଆଲୁମିନିୟମ୍ ଉତ୍ପାଦ କ୍ଷେତ୍ରରେ ସମ୍ଭାବ୍ୟ ନିବେଶ ନେଇ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ପକ୍ଷରୁ ଜମି, ଭିତ୍ତିଭୂମି, ବିଦ୍ୟୁତ୍ ଓ ଆବଶ୍ୟକ ସମସ୍ତ ଅନୁମୋଦନରେ ପୂର୍ଣ୍ଣ ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି।

Leave a Reply

Your email address will not be published. Required fields are marked *